ଓଡିଶା ମାଟିରେ ଜନ୍ମ ନେଇ ବହୁ ମହାନ ବ୍ୟକ୍ତି ନିଜର ପ୍ରତିଭା ବଳରେ ଓଡିଆ ଜାତିକୁ ଗୌରବାନ୍ଵିତ କରିଛନ୍ତି. ନିଜର ଯଶ କୀର୍ତ୍ତି ବଳରେ ଓଡିଆ ସଂସ୍କୃତିକୁ ସାରା ବିଶ୍ଵ ସ୍ଥରରେ ପ୍ରସିଦ୍ଧି ଦେଇଛନ୍ତି. ସେପରି କିଛି ମହାନ ପ୍ରତିଭାଙ୍କର ଜୀବନ କାହାଣୀକୁ ଆଜିକାର ପାଠକ ପାଠିକା ମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରିବା ପାଇଁ ଏହା ଏକ ବିନମ୍ର ପ୍ରୟାସ. ଆଶାକରେ ଆପଣମାନେ ଏହାକୁ ପସନ୍ଦ କରିବେ.
———————————————————————————————————-
” ମାନ ଉଦ୍ଧାରଣ କର ହେ ତାରଣ
  ଶରଣ ମୁଁ ତୁମ୍ଭ ପାଦ ତଳେ
  ଅନାଥର ନାଥ ନୀଳଗିରି ନାଥ
  ଜଗନ୍ନାଥ ନାମ ନୀଳାଚଳେ “
ଏହି ପ୍ରସିଦ୍ଧ ଭଜନଟି ଓଡିଶାର ପୁରପଲ୍ଲୀରେ ଥିବା ପ୍ରତ୍ୟେକ ଭକ୍ତଜନଙ୍କ ମୁହଁରେ ଠାକୁରଙ୍କ ପାଖରେ ଆପେ ଆପେ ବାହାରି ଆସେ, ଭଜନଟି ଗାଉଥିଲାବେଳେ ଆଖିଲୁହ ଛଳଛଳ ହୋଇଯାଏ| ଭଜନଟିର ରଚୟିତା ହେଉଛନ୍ତି ଓଡିଆ ସାହିତ୍ୟର ଜଣେ ପ୍ରସିଦ୍ଧ କବି. ନିଜେ ରାଜାଘରର ପୁଅ ଥିଲେ, ହେଲେ କାବ୍ୟକବିତା ଲେଖି କବିମାନଙ୍କ ଭିତରେ ଵି ଶ୍ରେଷ୍ଠ ଆସନ ଲାଭ କରିଥିଲେ. ସେ ଆଉ କେହି ନୁହନ୍ତି. ଓଡିଶାର ପୁରପଲ୍ଲୀରେ ସୁପରିଚିତ କବିସମ୍ରାଟ ଉପେନ୍ଦ୍ର ଭଞ. କବିମାନଙ୍କ ଭିତରେ ରାଜା ସେ କବିସମ୍ରାଟ.

ପରିଚୟ

ପୁର୍ବେ ଗଞାମ ଜିଲ୍ଲାରେ ଗୁମୁସର ବୋଲି ଗୋଟିଏ ରାଜ୍ୟ ଥିଲା. କେହି କେହି ଏହାକୁ ଘୁମୁସର ମଧ୍ୟ କହିଥାନ୍ତି. ସେହି ରାଜ୍ୟରେ ଭଞବଂଶୀୟ ରାଜାମାନେ ରାଜ୍ୟଶାସନ କରୁଥିଲେ. ସେମାନଙ୍କ ମଧ୍ୟରେ ଧନଞୟ ଭଞ ବୋଲି ଜଣେ ପ୍ରସିଦ୍ଧ ରାଜା ଥିଲେ. ଧନଞୟଙ୍କୁ କେହି କେହି ପ୍ରତାପ ଧନଞୟ ବୋଲି କୁହନ୍ତି. ସେ ଜଣେ ବିଶିଷ୍ଟ କବି ଓ ସୁଶାସକ ଥିଲେ. ତାଙ୍କ ଲିଖିତ ରଘୁନାଥ ବିଳାସ, ତ୍ରିପୁର ସୁନ୍ଦରୀ, ଅନଙ୍ଗ ରୋଖା, ଇଛାବତୀ, ମଦନମଞରୀ ଆଦି କାବ୍ୟମାନ ଓଡିଆ ସାହିତ୍ୟରେ ଗୋଟିଏ ଗୋଟିଏ ରତ୍ନ. ତାଛଡା ସେ ମଧ୍ୟ ଅନେକ ଚୌପଦୀ ଲେଖିଥିଲେ.
ରାଜା ଧନଞୟଙ୍କର ଅନେକ ରାଣୀ ଥିଲେ. ସେମାନଙ୍କ ମଧ୍ୟରେ ନୟାଗଡ ରାଜାଙ୍କର ଝିଅ ମଣ୍ଡାଦେବୀ ଥିଲେ ଅନ୍ୟ ରାଣୀମାନଙ୍କ ଅପେକ୍ଷା ଅଧିକ ଗୁଣବତୀ ଓ ସୁନ୍ଦରୀ. ଧନଞୟ ତାଙ୍କୁ ଭାରି ଭଲ ପାଉଥିଲେ ଓ ରାଣୀ ମଣ୍ଡାଦେଵୀ ରାଜାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ ଓ ସହାନୁଭୁତି ଦେଖାଉଥିଲେ. ଅନେକ ସମୟରେ ରାଜାଙ୍କ ରାଜ୍ୟଶାସନରେ ମଧ୍ୟ ପରାମର୍ଶ ଦେଉଥିଲେ. ସୁଗୃହିଣୀ ହିସାବରେ ମଧ୍ୟ ତାଙ୍କ ଖ୍ୟାତି ଥିଲା. ମଣ୍ଡାଦେଵୀଙ୍କ ଗର୍ଭରୁ ଯେଉଁ ପୁଅଟି ଜନ୍ମ ନେଇଥିଲା ତାଙ୍କ ନାଁ ନୀଳକଣ୍ଠ ଭଞ. ନୀଳକଣ୍ଠ ଭଞଙ୍କର ପୁଅ ହେଉଛନ୍ତି ଉପେନ୍ଦ୍ର ଭଞ.
ଗୁମୁସରର ରାଜାମାନେ ଯେଉଁ କେତେଗୁଡିଏ ଦୂର୍ଗ ତିଆରି କରିଥିଲେ, ତା ମଧ୍ୟରେ ଗୁମୁସରଗଡ, ଅନ୍ଧାରଗଡ, ଦୁର୍ଗାପ୍ରସାଦଗଡ, କୁଲାଡଗଡ ପ୍ରଧାନ. କୁଲାଡଗଡ ଦୂର୍ଗମଧ୍ୟରେ ନୀଳକଣ୍ଠ ଭଞ ବାସ କରୁଥିଲେ. ୧୬୮୦ ଖ୍ରୀଷ୍ଟାବ୍ଦର ଏକ ଶୁଭମୁହୁର୍ତ୍ତରେ କୁଲାଡଗଡରେ ଭଞବଂଶର ନୁଆ ସୂର୍ଯ୍ୟ ଦେଖାଦେଲେ. ଧନଞୟ ଭଞଙ୍କର ନାତି ହୋଇଛି ବୋଲି ଚାରିଆଡେ ପ୍ରଚାର ହୋଇଗଲା, ଭୋଜିଭାତ ଉତ୍ସଵର ଆୟୋଜନ ହେଲା. ସମସ୍ତଙ୍କର ମନରେ ଆନନ୍ଦର ଲହରୀ. ତାଙ୍କ ଗଡରେ ଯେଉଁ ସୂର୍ଯ୍ୟ ଉଇଁଛି, ସେ ଖାଲି ଏଇ ଗଡଟିର ନୁହେଁ ବରଂ ସାରା ଓଡିଶାର ଲୋକମାନଙ୍କ ମଧ୍ୟରେ ଥିବା ଅଜ୍ଞାନ ଅନ୍ଧକାରକୁ ଦୁର କରିବ. ସେହି ନୁଆ ସୂର୍ଯ୍ୟଟିର ନାମକରଣ କରାଗଲା “ଉପେନ୍ଦ୍ର ଭଞ” ଯେ ପରବର୍ତ୍ତୀ କାଳରେ ହେଲେ କବି ସମ୍ରାଟ ଉପେନ୍ଦ୍ର ଭଞ.
ଠିକ୍ ସମୟରେ ଉପେନ୍ଦ୍ରଙ୍କର ବାଲ୍ୟଶିକ୍ଷା ଆରମ୍ଭ ହେଲା. ଚାହାଳୀପାଠକୁ ସେ ଅଳ୍ପଦିନ ଭିତରେ ଆୟତ୍ତ କରିନେଲେ. ବାପା ନୀଳକଣ୍ଠ ଓ ଜେଜେ ଧନଞୟ ତାଙ୍କୁ ବିଭିନ୍ନ ଶାସ୍ତ୍ର ପଢାଉଥିଲେ. ଜେଜେ ତ ଜଣେ ବଡ କବି, ତେଣୁ ତାଙ୍କ ଦରବାରକୁ ଅନେକ କବି, ପଣ୍ଡିତ, ସାଧୁସନ୍ଥ ବିଭିନ୍ନ ସମୟରେ ଆସୁଥିଲେ. ସେଠାରେ ରହି ସାହିତ୍ୟ ସଙ୍ଗୀତ ବିଷୟରେ ଚର୍ଚ୍ଚା କରୁଥିଲେ. ତେଣୁ ଉପେନ୍ଦ୍ର ମଧ୍ୟ ଜେଜେଙ୍କ ପାଖରେ ବସି ସେଗୁଡିକ ଶୁଣୁଥିଲେ. ଧିରେ ଧିରେ ସେମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ସେ ଅନେକ ଶାସ୍ତ୍ରକୁ ଆୟତ୍ତ କରି ନେଇପାରିଥିଲେ.
ଚାହାଳୀରେ ପାଠ ପଢିବାବେଳର ଘଟଣା. ଦିନେ ଚାହାଳୀରୁ ଫେରି ଉପେନ୍ଦ୍ର କଣ ଭାବିଲେ କେଜାଣି ତାଳପତ୍ର ଲେଖନୀ ଧରି ବସିଗଲେ ଓ କିଛି ଛୋଟ ଛୋଟ କବିତା ଲେଖି ପକାଇଲେ. ସେଗୁଡିକ ଲେଖିସାରିବା ପରେ ତାକୁ ନେଇ ଜେଜେଙ୍କୁ ଦେଖାଇଲେ. ଜେଜେ ତ ଜଣେ ନାମଜାଦା କବି, ସେ ନାତିର ଲେଖାକୁ ପଢି ମନେ ମନେ ଆଶ୍ଚର୍ଯ଼୍ୟ ହୋଇଗଲେ. ସେ ଉପେନ୍ଦ୍ରଙ୍କୁ ଆନନ୍ଦରେ କୁଣ୍ଢାଇ ପକାଇ ପିଠି ଥାପୁଡାଇ ଦେଇ କହିଲେ “ସାବାସ୍ ଉପ, ସାବାସ୍. ଆରେ ମୋ ନାତି ତ ମୋ ପରେ ନିଶ୍ଚୟ ନାଁ କରିବ. ଏ ବଂଶର ଏ ଜାତିର ନାଁ ରଖିବ”. ଏହା ତାଙ୍କ ବାଲ୍ୟାବସ୍ଥାରୁ ଜେଜେ ଧନଞୟ ବେଶ୍ ଭଲଭାବେ ଜାଣିପାରିଥିଲେ.

ପ୍ରଥମ ଗୁରୁ ଜେଜେ

ନାତି କବିତା ଲେଖୁଥିବାର ଜାଣି ଧନଞୟ ଭାରି ଖୁସି ହୋଇ ଯାଇଥିଲେ ଓ ଉପେନ୍ଦ୍ରଙ୍କୁ ସେହି ପଥର ଯାତ୍ରୀ ହେବା ପାଇଁ ବହୁତ ପ୍ରେରଣା ଦେଉଥିଲେ. ତାଛଡା ଉପେନ୍ଦ୍ର ପିଲାଟି ଦିନରୁ ଜଣେ ବଡକବି ହେବାର ସଙ୍କଳ୍ପ ମନେ ମନେ କରି ଆସିଥିଲେ, ତେଣୁ ସେ ସଂସ୍କୃତରେ ବିଭିନ୍ନ କାବ୍ୟ, ଅଳଙ୍କାର ଓ ଶାସ୍ତ୍ରକୁ ଭଲକରି ପଢି ଆୟତ୍ତ କରିନେଉଥିଲେ. ଯାହା ଯେତେବେଳେ ଲେଖୁଥିଲେ ଜେଜେଙ୍କୁ ନେଇ ଦେଖାଉଥିଲେ. ଜେଜେ ମଧ୍ୟ ସେଗୁଡିକ ଦେଖି ସେଥିରୁ କିଛି ଗୋଟିଏ ଭୁଲ ବାହାର କରି ପାରୁନଥିଲେ. ହେଲେ ଉପେନ୍ଦ୍ର ଜେଜେଙ୍କୁ ନିଜର କାଵ୍ୟଗୁରୁ ଭାବରେ ବିଚାର କରି ନିଜ ସାଧନାରେ ଆଗେଇ ଯାଉଥିଲେ. ସେ ଯୋଗ୍ୟ ଗୁରୁଙ୍କର ଉପଯୁକ୍ତ ଶିଷ୍ୟ ଥିଲେ. ବାଗ୍ ଦେବୀଙ୍କ ଅଶେଷ କୃପା ଯୋଗୁଁ ହିଁ ସେ ଶୀର୍ଷ ସ୍ଥାନକୁ ଉଠିପାରିଥିଲେ.

ଗୁରୁମନ୍ତ୍ର ପାଇଲେ

ରାଜା ଧନଞୟଙ୍କ ଦରବାରକୁ ତ ବହୁତ ସାଧୁ ସନ୍ୟାସୀ ବିଭିନ୍ନ ସମୟରେ ଆସୁଥିଲେ. ସେମାନଙ୍କ ଭିତରେ ଥରେ ରଘୁନାଥ ନାମରେ ଜଣେ ସନ୍ୟାସୀ ଅସିଥିଲେ. ସେ ଜଣେ ସିଦ୍ଧପୁରୁଷ ଥିଲେ. ସେ ଉପେନ୍ଦ୍ରଙ୍କର ପାଠପଢା ଓ କବିତା ଲେଖିବାର ଆଗ୍ରହ ଦେଖି ମନେ ମନେ ଭାରି ଖୁସି ହେଲେ. ତେଣୁ ସେ ଗୋଟିଏ ସିଦ୍ଧ ମନ୍ତ୍ର ଶିଖାଇ ଦେବାକୁ ଚାହିଁଲେ. ମନ୍ତ୍ରଟି ସିଖାଇବା ପୁର୍ବରୁ ତା ବିଷୟରେ ଭଲକରି ଟିକେ ଉପେନ୍ଦ୍ରଙ୍କୁ ବୁଝାଇବାକୁ ଭାବିଲେ. ହେଲେ ରାଜାଘର ପୁଅକୁ ଭେଟ ହେଲେ ସିନା ଯାଇ କହିବେ! ସୁଯୋଗ ମିଳୁଛି କୋଉଠୁ? ବହୁଦିନ ପରେ ସୁଯୋଗଟିଏ ମିଳିଲା. ତେଣୁ ଆଉ ଡେରି ନକରି ସନ୍ୟାସୀ ଜଣଙ୍କ ତାଙ୍କୁ ନେଇ ସେଇ ସିଦ୍ଧମନ୍ତ୍ର ବିଷୟରେ ସବୁ କଥା କହିଲେ. କେମିତି ସାଧନା କରିବାକୁ ହେବ ତାହା ମଧ୍ୟ ବତାଇଦେଲେ.

ମନ୍ତ୍ରଟି ଶିଖିବା ପାଇଁ ଉପେନ୍ଦ୍ରଙ୍କ ମନ ବ୍ୟାକୁଳ ହୋଇଉଠିଲା. ସେ ଆଉ କାଳବିଳମ୍ବ ନକରି କୁଲାଡ଼ଗଡ ଛାଡ଼ି ଅଳ୍ପ ଦୂରରେ ଥିବା ଏକ ନିର୍ଜନ ସ୍ଥାନକୁ ଚାଲିଗଲେ. ହିଂସ୍ରଜନ୍ତୁପୂର୍ଣ୍ଣ ପାହାଡ ପର୍ବତ ଘେରା ସେ ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ବସି ଗୁରୁମନ୍ତ୍ର ସାଧନା କରିବାରେ ଲାଗିଲେ. କିଛିଦିନ ପରେ ସେ ମନ୍ତ୍ର ସାଧନାରେ ସିଦ୍ଧିଲାଭ କରି ରାଜପ୍ରସାଦକୁ ଫେରି ଆସିଲେ. ତାଙ୍କୁ ଯେଉ ମନ୍ତ୍ରଟି ଗୁରୁ ସାଧନା ଦେଇଥିଲେ, ତାର ନାଁ ଥିଲା “ତାରକ ମନ୍ତ୍ର“. ସେ ସ୍ଥାନଟି ଏବେ “ବାଘବଲି” ଓ “ଡାମଣ ଝୋଲି” ନାମରେ ପରିଚିତ.

ତୁମ  କାବ୍ୟରେ ଭୁଲ୍ ଅଛି

ସାଧନା କରି ଫେରିବା ପରେ ଉପେନ୍ଦ୍ରଙ୍କର ଆଗ ଅପେକ୍ଷା ଆହୁରି କାବ୍ୟ ଲେଖିବା ଓ କାବ୍ୟକବିତା ବିଷୟରେ ଜାଣିବାରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଲା. ସେ ଭାବିଲେ ନିଜ ଘରେ ଜେଜେଙ୍କ ଭଲି ଜଣେ ବଡ କବି ଥାଉ ଥାଉ ବାହରକୁ କାବ୍ୟ ଆଲୋଚନା ପାଇଁ ଯିବାରେ କି ଦରକାର ଅଛି. ତେଣୁ ଯେତେବେଳେ ସେ ଟିକେ ସମୟ ପାଉଥିଲେ, ଜେଜେଙ୍କ ପାଖକୁ ଚାଲି ଆସୁଥିଲେ. ତାଙ୍କ ସହିତ ବସି କାବ୍ୟକବିତା ଆଲୋଚନା କରିବାରେ ତାଙ୍କ ସମୟ ବିତିଯାଉଥିଲା.
ଦିନକର କଥା ସାହିତ୍ୟ କଥା ଆଲୋଚନା ହେଉଥିଲା ବେଳେ ଧନଞୟ ନିଜର ଶ୍ରେଷ୍ଠ କାବ୍ୟ ‘ରଘୁନାଥ ବିଳାସ’ ଉପେନ୍ଦ୍ରଙ୍କ ହାତକୁ ବଢେଇଦେଇ କହିଲେ “ଉପ, ଏଇଟିକୁ ପଢିବୁ. ଯଦି କିଛି ଦୋଷତୃଟି ଥାଏ, ତେବେ ନିର୍ଭୟରେ ମୋତେ କହିବୁ”.
ଉପେନ୍ଦ୍ର କାବ୍ୟଟିକୁ ମନଦେଇ ପଢିସାରିଲାପରେ କହିଲେ “ଜେଜେ, କାବ୍ୟଟି ଭାରି ସରଳ ଓ ରସପୁର୍ଣ୍ଣ ହୋଇଛି. ହେଲେ ଏଭଳି ଏକ ଦୁର୍ଲ୍ଲଭ କାବ୍ୟରେ ଯୁଗକୁ ଚାହିଁ ଅଳଙ୍କାରର ପ୍ରୟୋଗ ହୋଇନାହିଁ”.
ନାତିଠାରୁ ଏପରି ନିରପେକ୍ଷ ମତାମତ ଶୁଣି ଜେଜେ ମନେ ମନେ ଭାରି ଖୁସି ହୋଇଗଲେ, ଆଉ ତାଙ୍କର ବୁଦ୍ଧି ଓ ଜ୍ଞାନକୁ ବହୁତ ପ୍ରଶଂସା କଲେ. କାରଣ ସେ ଜାଣିଥିଲେ ତାଙ୍କ ନାତି ବହୁତ ଶାସ୍ତ୍ର ଅଳଙ୍କାର ପୁସ୍ତକ ପଢିଛି. ତେଣୁ ସେ ଯାହା କହିଛି, କିଛି ଭୁଲ କହି ନାହିଁ.

ମୁଁ ବି କାବ୍ୟ ଲେଖିପାରିବି

ଉପେନ୍ଦ୍ର ଜେଜେଙ୍କର କାବ୍ୟରେ ଦୋଷତୃଟି ଅଛି ବୋଲି କହିଥିଲେ, ତେଣୁ ଜେଜେ ତାଙ୍କର ପିଠିକୁ ଥାପୁଡେଇ ପଚାରିଲେ – “ଆଛା! ତୁ କଣ ଏହାଠାରୁ ଉଚ୍ଚ ସ୍ଥରର ଆଳଙ୍କାରିକ କାବ୍ୟ ଲେଖିପାରିବୁ?”
ଦୃଢବିଶ୍ଵାସର ସହିତ ଉପେନ୍ଦ୍ର ସଙ୍ଗେ ସଙ୍ଗେ କହିଉଠିଲେ “ହଁ ଜେଜେ, ମୁଁ ଏହାଠାରୁ ଉନ୍ନତ ଧରଣର କାବ୍ୟ ଲେଖିପାରିବି. ତୁମେ ଖାଲି ମତେ ଆଶୀର୍ବାଦ କର, ଦେଖିବ ଦିନ କେଇଟା ଭିତରେ ମୁଁ ଗୋଟିଏ ଉନ୍ନତମାନର କାବ୍ୟ ଲେଖିଦେବି”.
ଜେଜେ ହସି ହସି କହିଲେ, “ହଉ ହେଲା. ମୁଁ ତୋତେ ଆଶୀର୍ବାଦ କରୁଛି. ତୁ ଗୋଟିଏ ଉନ୍ନତମାନର କାବ୍ୟ ଲେଖି ନାଁ କରିବୁ. ସତକୁ ସତ ଜେଜେଙ୍କର ସେ କେତେପଦ ଉତ୍ସାହପୁର୍ଣ୍ଣ କଥାରେ ଉପେନ୍ଦ୍ର କାବ୍ୟ ଲେଖିବାରେ ମନଦେଲେ. ଦୈବୀ ଶକ୍ତିର ପ୍ରଭାବରେ ସେ ଏପରି କାବ୍ୟମାନ ରଚନା କଲେ ଯାହାକି ଜେଜେ ବାପାଙ୍କ ଠାରୁ ଉନ୍ନତମାନର ହେଲା.

କାବ୍ୟ ଗୁରୁଙ୍କୁ ହରାଇଲେ

ଧନଞୟ ଭଞ, ରାଣୀ ମଣ୍ଡାଦେବୀ ସବୁବେଳେ ଚାହୁଁଥିଲେ ତାଙ୍କ ପୁଅ ନୀଳକଣ୍ଠ ଭଞବଂଶର ରାଜସିଂହାସନ ଲାଭ କରୁ. ହେଲେ ବଡପୁଅ ଥାଉ ଥାଉ ମଝିଆ ପୁଅ କିପରି ରାଜାଗାଦୀ ପାଇବେ? ଧନଞୟ ଏଇ ଦ୍ଵନ୍ଦରେ ପଡି କିଛି ନିଷ୍ପତ୍ତି ନେଇପାରୁନଥିଲେ. ଏତିକିବେଳେ ମଣ୍ଡାଦେବୀ ଷଡଯନ୍ତ୍ର କରି ରାଜପୁରୀରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରାଇଲେ. ଏପରିକି ନିଜର ସ୍ଵାମୀଙ୍କୁ ଜୀବନରେ ମାରିଦେବାକୁ ଷଡଯନ୍ତ୍ର କଲେ. ଶେଷରେ ଜଣେ ବ୍ରାହ୍ମଣୀଙ୍କୁ ହାତ କରି ଧନଞୟଙ୍କୁ ବିଷ ଦେଇ ହତ୍ୟା କରାଇଲେ.

ନିଜର ଅତି ଆପଣାର ଜେଜେ ଓ କାବ୍ୟଗୁରୁଙ୍କର ଏପରି ଶୋଚନୀୟ ମୃତ୍ୟୁରେ ଉପେନ୍ଦ୍ର ଅତ୍ୟନ୍ତ ଭାଙ୍ଗିପଡିଲେ. ତାଙ୍କୁ କିଛି ଭଲ ଲାଗିଲା ନାହିଁ. ମନେ ମନେ ଭାବିଲେ ଛାର ରାଜଗାଦୀଟା ପାଇଁ ଜେଜେମା ଏପରି ଘୃଣ୍ୟ କାମ କରିପାରିଲେ? ଜେଜେମାଙ୍କ ପ୍ରତି ତାଙ୍କର ଆପେ ଆପେ ଘୃଣା ସୃଷ୍ଟି ହେଲା. ତାଙ୍କର ବାପାଙ୍କୁ ରାଜଗାଦିରେ ବସାଇବା ପାଇଁ ଏପରି କାର୍ଯ଼୍ୟ କରାଯାଇଥିବାରୁ ସେ କାହାକୁ କିଛି ନକହି ମନଦୁଃଖରେ ସମୟ କାଟିଲେ.

ରାଜପ୍ରାସାଦରେ ବିଦ୍ରୋହ

ମଣ୍ଡାଦେବୀ ନିଜ ପୁଅ ନୀଳକଣ୍ଠଙ୍କୁ ରାଜଗାଦିରେ ବସାଇବାରେ ସଫଳ ହେଲେ, କିଛିଦିନ ପାଇଁ ନୀଳକଣ୍ଠ ରାଜସିଂହାସନରେ ବସି ରାଜ୍ୟଶାସନ କଲେ. ହେଲେ ସେତେବେଳକୁ ତାଙ୍କର କାକାପୁଅ ଭାଇ ଘନଭଞ ବେଶ୍ ନାଁ କରି ସାରିଥାନ୍ତି. ସେ ଯେପରି ବୀର, ସେପରି ସାହସୀ ମଧ୍ୟ ଥିଲେ. ଘନଭଞ ସବୁବେଳେ ଚାହୁଁଥିଲେ କିଛି ଗୋଟିଏ ଗୋଳମାଳ ପରିସ୍ଥିତି ସୃଷ୍ଟି ହେଉ. ମଣ୍ଡାଦେବୀଙ୍କ ରଚିତ ଷଡଯନ୍ତ୍ର  ତାଙ୍କୁ ଭାରି ସୁହାଇଲା. ସେ ଧରାକୋଟରେ ଥାଇ ନୀଳକଣ୍ଠଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଦେଲେ. ସୈନ୍ୟସାମନ୍ତ ଧରି ଘୁମୁସରକୁ ଆକ୍ରମଣ କରିବା ପାଇଁ ଆଗେଇ ଆସିଲେ. ଘନଭଞ ଘୁମୁସର ଆକ୍ରମଣ କରିବାକୁ ଆସୁଛନ୍ତି ଜାଣି ନୀଳକଣ୍ଠ ମଧ୍ୟ ନିଜର ସୈନ୍ୟସାମନ୍ତ ଧରି ଯୁଦ୍ଧକୁ ବାହାରି ପଡିଲେ.
ସମ୍ମୁଖ ରଣକ୍ଷେତ୍ରରେ ଘନଭଞ ନୀଳକଣ୍ଠଙ୍କୁ ଆକ୍ରମଣ କଲେ. ନୀଳକଣ୍ଠ ଘନଭଞଙ୍କୁ ପରାସ୍ତ କରି ପାରିଲେ ନାହିଁ, ତେଣୁ ହାରିଯାଇ ରାଜ୍ୟ ଛାଡ଼ି ଚାଲିଗଲେ.

ରାଜପଦ ସ୍ଵପ୍ନ ହେଲା

ନିଜ ରାଜ୍ୟରୁ ପଳାଇଯାଇ ନୀଳକଣ୍ଠ ନୟାଗଡର ମାଳିସାହି ଢେଙ୍କଣା ଗ୍ରାମରେ ଘରଟିଏ କରି ଅତି ସାଧାରଣ ଭାବରେ ଜୀବନ ଅତିବାହିତ କରୁଥିଲେ. ତାଙ୍କ ମାମୁଁ ନିଜର ଦୂର୍ଗରେ ଆଶ୍ରୟ ଦେବାକୁ ଚାହୁଁଥିଲେ ମଧ୍ୟ ନୀଳକଣ୍ଠ ଗୋପନରେ ନିଜର ସ୍ତ୍ରୀ ଓ ଯୋଗ୍ୟପୁତ୍ର ଉପେନ୍ଦ୍ରଙ୍କୁ ଧରି ସେଠାରେ ରହିବାକୁ ଲାଗିଲେ. ହେଲେ ତାଙ୍କ ମାମୁଁ ତାଙ୍କ ପରିବାର ପାଇଁ ରଘୁନାଥ ମନ୍ଦିର ଆଗରେ ରହିବାର ସମସ୍ତ ସୁବିଧା କରାଇ ଦେଇଥିଲେ. ନୀଳକଣ୍ଠ ନିଜର ଏପରି ଦୁଃଖ ସମୟରେ ପ୍ରିୟପୁତ୍ରଙ୍କୁ ପାଖରୁ ଛାଡୁନଥିଲେ ଓ ଉପେନ୍ଦ୍ରଙ୍କୁ ଘୋଡାଚଢା, ଖଣ୍ଡା, ତରବାରୀ ଚାଳନାରେ ଧୁରନ୍ଧର କରାଇଥିଲେ.
ରାଜ ଉଆସରେ ରହି ରାଜଗାଦିରେ ବସିବାର ଉପେନ୍ଦ୍ରଙ୍କର ସ୍ଵପ୍ନ ସବୁଦିନ ପାଇଁ ଚାଲିଯାଇଥିଲା. କିନ୍ତୁ ଯାହାର ଜୀବନ କାବ୍ୟକବିତା ଆଲୋଚନା କରିବା ପାଇଁ ଠିକ୍ ହୋଇ ସାରିଛି, ସେ କେଉଁଠି ରାଜା ହୋଇ ରାଜ୍ୟଶାସନ କରିବେ? ସେ ସିନା ରାଜା ହୋଇପାରିଲେ ନାହିଁ ହେଲେ ସାହିତ୍ୟ ରାଜ୍ୟର ଜଣେ ଅପ୍ରତିଦ୍ଵନ୍ଦୀ ରାଜା ଭାବରେ ପ୍ରତିଷ୍ଠିତ ହୋଇ ପାରିଲେ. ରାଜା ହୋଇ ରାଜ୍ୟବାସୀଙ୍କ ମନ କିଣିବା ଅପେକ୍ଷା ସେ କାବ୍ୟକବିତା ମାଧ୍ୟମରେ ସମସ୍ତ ଦେଶବାସୀଙ୍କ ହୃଦୟକୁ ଜୟ କରିବାକୁ ଚାହୁଁଥିଲେ. ତେଣୁ ଉପେଦ୍ର ରାଜାହେବାର ଅଭିଳାଷ ସମ୍ପୁର୍ଣ ରୁପେ ମନରୁ ପୋଛି ଦେଲେ.

ଵାପା ଚାଲିଗଲେ

ରାଜ୍ୟରୁ ବାହାର ହୋଇ ବହୁତ ଦିନ ନୟାଗଡରେ ରହିବା ପରେ ହଠାତ୍ ଦିନେ ନୀଳକଣ୍ଠ ଆରପୁରକୁ ଚାଲିଗଲେ. ସେତେବେଳେ ଉପେନ୍ଦ୍ରଙ୍କୁ ଜମା ପନ୍ଦର ବର୍ଷ ବୟସ. ଚାରିଆଡ ତାଙ୍କୁ ଅନ୍ଧାର ଦିଶିଲା. ଏଣେ ରାଜ୍ୟ ଯାଇଛି, ତେଣେ ବାପାଙ୍କର ଅକାଳ ମୃତ୍ୟୁ ତାଙ୍କ ମନର ସ୍ଥିତିକୁ ଚହଲାଇ ଦେଲା. ନିଜ ଭଣଜାର ଏହି ଦୁଃଖ ସମୟରେ ତାଙ୍କ ମାମୁଁ ଉପେନ୍ଦ୍ରଙ୍କୁ ନିଜ ଘରକୁ ନେଇଗଲେ. ମାମୁଁଘରେ ଥାଇ ଉପେନ୍ଦ୍ରଙ୍କର ଦୁଃଖର ଦିନଗୁଡିକ କଟିବାରେ ଲାଗିଲା.

ଵିଭାଘର ହେଲା

ସେହିସମୟରେ ନୟାଗଡରେ ପୁରୁଷୋତ୍ତମ ମାନ୍ଧାତା ରାଜ୍ୟଶାସନ କରୁଥିଲେ. ତାଙ୍କର ଭଉଣୀ ଲାବଣ୍ୟବତୀ ଯେପରି ସୁନ୍ଦରୀ ସେପରି ବୁଦ୍ଧିମତୀ. ସସ୍କୃତ ସାହିତ୍ୟରେ ମଧ୍ୟ ତାଙ୍କର ବହୁତ ଜ୍ଞାନ ଥିଲା. ସେତେବେଳେ ଉପେନ୍ଦ୍ରଙ୍କୁ ୧୮ ବର୍ଷ ବୟସ, ଦେଖିବାକୁ ଭାରି ସୁନ୍ଦର ଥିଲେ. ଲାବଣ୍ୟବତୀଙ୍କ ସହିତ ଉପେନ୍ଦ୍ରଙ୍କର ବିଭାଘର ଠିକ୍ ହେଲା. ପୁରୁଷୋତ୍ତମ ମାନ୍ଧାତା ବହୁ ଯାନିଯୌତୁକ ଦେଇ ନିଜର ଭଉଣୀଙ୍କୁ ଉପେନ୍ଦ୍ରଙ୍କ ସହ ବିଭା କରାଇଲେ. ଉପେନ୍ଦ୍ର ମଧ୍ୟ ଲାବଣ୍ୟବତୀଙ୍କ ପରି ଅତିସୁନ୍ଦରୀ ସ୍ତ୍ରୀ ପାଇ ମହା ଆନନ୍ଦରେ ସମୟ କଟାଇବାରେ ଲାଗିଲେ. ତାଙ୍କର ପାରିବାରିକ ଜୀବନ ବଡସୁଖରେ କଟିବାରେ ଲାଗିଲା.

କୁଲାଡଗଡକୁ ଫେରିଲେ

କବି ଭାବରେ ବେଶ୍ ନାଁ କରିସାରିଥିବା ଉପେନ୍ଦ୍ରଙ୍କର ଖ୍ୟାତି ବିଷୟରେ କାକା ଘନଭଞ ଶୁଣିବାକୁ ପାଇଲେ. ଘନଭଞ ଜଣେ ରାଜା ହେବା ସହ ଜଣେ ବିଶିଷ୍ଟକବି ମଧ୍ୟ ଥିଲେ. ତେଣୁ ତାଙ୍କର ପୁତୁରା ପରି ଜଣେ ପ୍ରତିଭାବାନ କବିଙ୍କୁ ସେ ହତାଦର କରିବେ ବା କାହିଁକି? ତେଣୁ ସେ ଉପେନ୍ଦ୍ରଙ୍କୁ ସମ୍ମାନର ସହିତ କୁଲାଡ଼ଗଡକୁ ଫେରି ଆସିବାକୁ ନିମନ୍ତ୍ରଣ ଜଣାଇଲେ. ଉପେନ୍ଦ୍ରଙ୍କର ତ ରାଜ୍ୟ ଲୋଭ ନଥିଲା କି କାହାର ଶତ୍ରୁ ହେବାର ଇଚ୍ଛା ନ ଥିଲା, ତେଣୁ ସେ କାକାଙ୍କର ନିମନ୍ତ୍ରଣ ରକ୍ଷା କରି କୁଲାଡ଼ଗଡକୁ ଫେରି ଆସିଲେ. ସେଠାରେ ରହି ଅନ୍ୟ କବି ଓ ପଣ୍ଡିତମାନଙ୍କ ସହିତ କାବ୍ୟଶାସ୍ତ୍ର ଆଦି ଆଲୋଚନା କରି ସମୟ କଟାଇଲେ. ଏହା ଦ୍ଵାରା ତାଙ୍କ ମନୟରେ ଲେଖାଲେଖି ପ୍ରତି ଅଧିକ ଆଗ୍ରହ ସୃଷ୍ଟି ହେଲା.

ଲାବଣ୍ୟବତୀ ଲେଖାଗଲା

ଲାବଣ୍ୟବତୀଙ୍କର ଭାଉଜ ଶୋଭାବତୀ ଜଣେ ବିଦୁଷୀ ନାରୀ ଥିଲେ. ତାଙ୍କ ଭାଇ ପୁରୁଷୋତ୍ତମ ମଧ୍ୟ ଗୁଣରେ କିଛି କମ୍ ନ ଥିଲେ. ଥରେ “ଶୋଭାବତୀ” ନାମରେ କାବ୍ୟଟିଏ ଲେଖି ସେ ଉପେନ୍ଦ୍ରଙ୍କ ପାଖକୁ ପଠାଇଥିଲେ. ଉପେନ୍ଦ୍ର କାବ୍ୟଟିକୁ ନେଇ ଲାବଣ୍ୟବତୀଙ୍କୁ ଦେଖାଇଲେ. କବିତାଟି ପଢି ଲାବଣ୍ୟବତୀ ମନେ ମନେ ଭାଉଜଙ୍କୁ ଈର୍ଷା କଲେ କାରଣ ସେ ତାଙ୍କ ଭାଉଜଙ୍କଠାରୁ ବହୁତ ସୁନ୍ଦର. ତାଙ୍କ ନାଁରେ କଣ ଏମିତି ଗୋଟାଏ କାବ୍ୟ ତାଙ୍କ ସ୍ଵାମୀ ଲେଖି ପାରିବେ? ଏହା କହି ଲାବଣ୍ୟବତୀ ଅଭିମାନରେ ନିଜ ଶୋଇବା ଘରେ ମୁହଁମାଡି ଶୋଇ ପଡିଲେ. ଉପେନ୍ଦ୍ର ସ୍ତ୍ରୀଙ୍କ ମନରେ ଦୁଃଖ ହୋଇଥିବା କଥା ଜାଣିପାରି ତାଙ୍କ ପାଖକୁ ଯାଇ କହିଲେ “କିଛିଦିନ ସମୟ ଦିଅ. ତୁମକୁ ମୁଁ ଏହାଠାରୁ ଅଧିକ ସୁନ୍ଦର ଓ ଉନ୍ନତମାନର କାବ୍ୟଟିଏ ଲେଖି ଉପହାର ଦେବି”.

ସ୍ଵାମୀଙ୍କଠାରୁ ଭରସା ପାଇ ଲାବଣ୍ୟବତୀ ଅଭିମାନ ଛାଡି ଉଠିଲେ. ମାତ୍ର ଦୁଇଟା ମାସ ଯାଇଛି କି ନାହିଁ ଦିନେ ଉପେନ୍ଦ୍ର “ଲାବଣ୍ୟବତୀ” ନାମରେ କାବ୍ୟଟିଏ ଲେଖି ଆଣି ସ୍ତ୍ରୀଙ୍କ ହାତରେ ଅର୍ପଣ କଲେ. ଲାବଣ୍ୟବତୀ ନିଜ ନାମରେ ଲେଖା ଯାଇଥିବା କାବ୍ୟଟିକୁ ହାତରେ ପାଇ ଆତ୍ମହରା ହୋଇଉଠିଲେ. ସ୍ଵାମୀଙ୍କୁ କିପରି ଧନ୍ୟବାଦ ଜଣାଇବେ ଚିନ୍ତା କରିପାରିଲେ ନାହିଁ, ନିଜକୁ ଗର୍ବିତ ମନେ କଲେ. ଉପେନ୍ଦ୍ର ସେହି କାବ୍ୟରୁ ଗୋଟିଏ ପୋଥି ଦୂତ ହାତରେ ନୂଅାଗଡରେ ଥିବା ନିଜ ଶଳା ଓ ଶଳା ଭାଉଜଙ୍କ ପାଖକୁ ପଠାଇଲେ.
ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ଲେଖାଯାଇଥିବା ଏହି ସୁନ୍ଦର କାବ୍ୟଟିକୁ ପଢି ରସପ୍ରେମୀ ପାଠକମାନେ ମୁଗ୍ଧ ହୋଇଯାଆନ୍ତି. ବିଷୟବସ୍ତୁ, ଅଳଙ୍କାର, ଶବ୍ଦ ବିନ୍ୟାସ କୌଣସି କ୍ଷେତ୍ରରେ “ଲାବଣ୍ୟବତୀ” କାବ୍ୟଟି କମ୍ ନୁହେଁ. ଓଡିଶାର ପୁରପଲ୍ଲୀର ଚିତ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନାରେ କାବ୍ୟଟିର ବିଷୟବସ୍ତୁ ପ୍ରତ୍ୟେକ ପାଠକର ମନକୁ ହରି ନେଇଥାଏ. “ଲାବଣ୍ୟବତୀ” ଯଦିଓ କାଳ୍ପନିକ ବିଷୟବସ୍ତୁକୁ ନେଇ ଆଧାରିତ ତଥାପି ଏଥିରେ ନାରୀ ଚରିତ୍ରର ସମସ୍ତ ଗୁଣ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି. ତେଣୁ ଏହା ସେତେବେଳର ସମସ୍ତ କବିସମାଜକୁ ନତମସ୍ତକ ହେବାକୁ ବାଧ୍ୟ କରିଥିଲା.

ବୈଦେହୀଶ ବିଳାସ

ଉପେନ୍ଦ୍ର ସବୁବେଳେ ରାମ ସୀତାଙ୍କୁ ପୁଜା କରୁଥିଲେ, ତେଣୁ ନିଜର ଆରାଧ୍ୟ ଠାକୁରଙ୍କର ଗୁଣଗାନ କରିବା ପାଇଁ ତାଙ୍କର ଭାରି ମନ ବଳିଲା. ରାମସୀତାଙ୍କର ଲୀଳାକୁ ନେଇ ଗୋଟିଏ ସୁନ୍ଦର କାବ୍ୟ ଲେଖିଲେ ଓ ତା’ର ନାଁ ବେଲେ “ବୈଦେହୀଶ ବିଳାସ”. କାବ୍ୟଟିର ପ୍ରତି ଛନ୍ଦର ପ୍ରଥମ ଅକ୍ଷରଟି “ବ”ରେ ଆରମ୍ଭ ହେଉଥିଲା. ନାନା ପ୍ରକାର ଅଳଙ୍କାର ଓ ଛନ୍ଦର ପ୍ରୟୋଗ ହୋଇଥିବା ଯୋଗୁଁ କାବ୍ୟଟି ପଣ୍ଡିତ ସମାଜରେ ବେଶ୍ ଆଦରଲାଭ କଲା. କାବ୍ୟଟିକୁ ପଢି ସମସ୍ତେ ଉପେନ୍ଦ୍ରଙ୍କର ଭୁରି ଭୁରି ପ୍ରଶଂସା କରିବାରେ ଲାଗିଲେ.
“ବୈଦେହୀଶ ବିଳାସ”ରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ, ବିବାହ, ବନବାସ ସହିତ ଅଯୋଧ୍ୟାରେ ଅଭିଷେକ ହେବା ପ୍ରଭୃତି ମୁଖ୍ୟ ଘଟଣାଗୁଡିକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯ଼ଆଇଛି. ତାଛଡା ସୀତାଙ୍କର ନିର୍ବାସନ, ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମ, ଦୁଇଭାଇଙ୍କର ବୀରତ୍ଵର ପରାକାଷ୍ଠା ପ୍ରତିପାଦନ କରିଛନ୍ତି. ଲବକୁଶଙ୍କ ଦ୍ଵାରା ହନୁମାନ ଓ ଶ୍ରୀରାମଙ୍କ ପରାଜୟ ବରଣର ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ. ସୀତାଙ୍କର ଅଗ୍ନି ପରୀକ୍ଷା ଓ ପାତାଳପୁରକୁ ଗମନ, ରାମଚନ୍ଦ୍ରଙ୍କର ସ୍ଵର୍ଗପ୍ରାପ୍ତି ଆଦି ଘଟଣାକୁ କାବ୍ୟରେ ସ୍ଥାନ ଦେଇଥିଲେ ହେଁ କବିଙ୍କର ବର୍ଣ୍ଣନା ଶୈଳୀ ଅତ୍ୟନ୍ତ ମନଛୁଆଁ ହୋଇପାରିଥିଲା.
ସେଦିନ ଜେଜେ ଧନଞୟ ଭଞଙ୍କୁ ଦେଇଥିବା କଥାଟିକୁ ଉପେନ୍ଦ୍ର ପୂରଣ କରିପାରିଥିବାରୁ ନିଜର ପରିଶ୍ରମକୁ ସାର୍ଥକ ମଣିଲେ. ଏ ଜାତି ପାଇଁ ଓ ଓଡିଆ ସାହିତ୍ୟ ପାଇଁ ଯେଉ ଅମୁଲ୍ୟ ଗ୍ରନ୍ଥଟି ସେ ରଚନା କଲେ ତାହା ତାଙ୍କୁ କବି ସମାଜରେ ଶ୍ରେଷ୍ଠ ଆସନ ପ୍ରଦାନ କରିବାରେ ବିଶେଷଭାବେ ସହାୟକ ହେଲା.

ଲାବଣ୍ୟବତୀ ଚାଲିଗଲେ

କୁଲାଡ଼ଗଡ ପାଖରେ ଅନ୍ଧାରଗଡ ବୋଲି ଦୂର୍ଗଟିଏ ଥିଲା ଯାହାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା. ଦୂର୍ଗର ଚାରିପଟେ ଥିଲା ପାହାଡ ଓ ସବୁଜିମା ଭରା ଜଙ୍ଗଲ ଯାହା ଭାବୁକର ମନକୁ ହରଣ କରିନେଇଥାଏ. ଏଭଳି ଏକ ସୁନ୍ଦର ସ୍ଥାନକୁ ସବୁବେଳେ ଯିବାକୁ ଉପେନ୍ଦ୍ରଙ୍କ ଭଳି କବିପ୍ରାଣ ବ୍ୟସ୍ତ ହୋଇଉଠୁଥିଲା. ସତେ ଯେପରି ତାହାର ଶୋଭା ଯେପରି ଉପେନ୍ଦ୍ରଙ୍କୁ ହାତ ଠାରି ଡାକୁଥିଲା. ସେ ସେହି ସ୍ଥାନକୁ ସବୁବେଳେ ଏକୁଟିଆ ଚାଲିଯାଉଥିଲେ ଏବଂ କିଛିଦିନ ସେଠାରେ ରହିବା ପରେ ଫେରି ଆସୁଥିଲେ.
ସବୁଥର ପରି ସେଥର ମଧ୍ୟ ଉପେନ୍ଦ୍ର ସେହି ସ୍ଥାନକୁ ଗଲେ କିନ୍ତୁ ବହୁଦିନ ପର୍ଯ୍ୟନ୍ତ ରାଜଉଆସକୁ ଫେରିଲେ ନାହିଁ. ଏଣେ ରାଜପ୍ରାସାଦରେ ଲାବଣ୍ୟବତୀ ବ୍ୟସ୍ତ ହୋଇପଡିଲେ. ସେ ପତିଙ୍କୁ ଖୋଜି ଆଣିବା ପାଇଁ ଦୂତଟିଏ ପଠାଇଲେ. ଦୂତଟି ଗଡ ଭିତରକୁ ନଯାଇ ଅଳ୍ପବାଟରୁ ଫେରି ଆସିଲା ଓ କହିଲା ଯେ ସେ ଗୋଟିଏ ମହାବଳ ବାଘ ଦେଖିଲା. ତା ପାଖରେ ମଣିଷର ରକ୍ତାକ୍ତ ଶବ ପଡିଥିବାର ଦେଖି ଭୟରେ ଫେରି ଆସିଲା. ଦୂତଠାରୁ ଏପରି ଖବର ଶୁଣି ଲାବଣ୍ୟବତୀ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ, ତାଙ୍କର ସଙ୍ଗେ ସଙ୍ଗେ ଚେତା ବୁଡିଗଲା ଓ ଚାହୁଁ ଚାହୁଁ  ତାଙ୍କର ପ୍ରାଣବାୟୁ ଉଡିଗଲା.
କିଛିଦିନ ପରେ ଉପେନ୍ଦ୍ର ରାଜପୁରକୁ ଫେରି ଆସିଲେ. ହେଲେ ସେତେବେଳକୁ ଆଉ ତାଙ୍କର ପ୍ରିୟ ପତ୍ନୀ ଲାବଣ୍ୟବତୀ ଆଉ ଜୀବଦ୍ଦଶାରେ ନ ଥିଲେ. କବି ପତ୍ନୀଙ୍କୁ ହରାଇ ବହୁତ ମର୍ମାହତ ହେଲେ.

ଦ୍ଵିତୀୟ ବିବାହ କଲେ

ଉପେନ୍ଦ୍ରଙ୍କ ଶଳାଭାଉଜ ଶୋଭବତୀଙ୍କର “କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ” ବୋଲି ଭଉଣୀଟିଏ ଥିଲା. ସେ ଯେପରି ସୁନ୍ଦରୀ ସେପରି ବୁଦ୍ଧିମତୀ. ତାଙ୍କ ସହିତ ଉପେନ୍ଦ୍ରଙ୍କ ଦ୍ଵିତୀୟଥର ବିବାହ ଉତ୍ସବ ଅନୁଷ୍ଠିତ ହେଲା. ତାଙ୍କ ଭଳି ଜଣେ ସୁଯୋଗ୍ୟା ସ୍ତ୍ରୀ ପାଇ ଉପେନ୍ଦ୍ର କିଛି ପରିମାଣରେ ନିଜର ଦୁଃଖ ଭୁଲିଗଲେ. ଦ୍ଵିତୀୟ ସ୍ତ୍ରୀ ଉପେନ୍ଦ୍ରଙ୍କୁ କାବ୍ୟ ଲେଖିବାରେ ସାହାଯ୍ୟ କରୁଥିଲେ. ତାଙ୍କର ପରାମର୍ଶରେ ଉପେନ୍ଦ୍ର ମଧ୍ୟ ନିଜର କାବ୍ୟକବିତାକୁ ସଂଶୋଧନ କରିବା ସହିତ ଆହୁରି ଉନ୍ନତି କରିବାରେ ସମର୍ଥ ହେଉଥିଲେ. ଦ୍ଵିତୀୟ ପତ୍ନୀ ଗ୍ରହଣ ଉପେନ୍ଦ୍ରଙ୍କ ଜୀବନ ଧାରାକୁ ବଦଳାଇ ଦେଲା.

କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

“ବୈଦେହୀଶ ବିଳାସ”, “ଲାବଣ୍ୟବତୀ” ଭଳି ଦୁଇଟି ପ୍ରସିଦ୍ଧ କାବ୍ୟ ଲେଖିସାରିଲା ପରେ ଉପେନ୍ଦ୍ର ନିଜର ତୃତୀୟ କାବ୍ୟ “କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ” ଲେଖିଲେ. ଏଥିରେ ସେ ଚମ୍ପାନଗରୀର ରାଜା ବିଶ୍ଵାସନନ୍ଦକ ଓ ରାଣୀ ବିଚିତ୍ରକଳାଙ୍କର ସୁନ୍ଦରୀ କନ୍ୟା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କର କଥାକୁ ବର୍ଣ୍ଣନା କରିଛନ୍ତି. ରାଜାରାଣୀ ଝିଅଟିକୁ କେମିତି ଲାଭ କଲେ, କିପରି ତାର ଲାଳନ ପାଳନ କଲେ ଏସବୁ କଥା ଅତି ସୁନ୍ଦର ଭାବରେ ଲେଖିଛନ୍ତି. ପାଟଳିପୁତ୍ରର ରାଜପୁତ୍ର ପୁଷ୍ପକେତୁଙ୍କ ସହିତ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ବିବାହ କବିଙ୍କ ଲେଖନୀମୁନରେ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି. ତା’ଛଡା ବିଭିନ୍ନ ଅଳଙ୍କାର, ରସ, ଭାବ ଓ ଶବ୍ଦ ବିନ୍ୟାସରେ କାବ୍ୟଟି ଅତି ସୁନ୍ଦର ଏବଂ ହୃଦୟଗ୍ରାହୀ ହୋଇ ପାରିଛି. ତାଛଡା ଜଗନ୍ନାଥଙ୍କର ଲୀଳାକୁ ଉପେନ୍ଦ୍ର ଏହି କାବ୍ୟରେ ଅତି ସୁନ୍ଦର ଭାବରେ ରୁପାୟିତ କରିପାରିଛନ୍ତି. କାବ୍ୟଟିର ବିଷୟବସ୍ତୁ ସମ୍ପୁର୍ଣ୍ଣ କାଳ୍ପନିକ ହେଲେ ମଧ୍ୟ ପଢିଲେ ତାହା ପ୍ରତ୍ୟେକ ପାଠକଙ୍କୁ ସତ ବୋଲି ମନେ ହୁଏ. ଶ୍ରୀଜଗନ୍ନାଥଙ୍କ ଲୀଳାଚରିତ ଏପରିଭାବରେ ବର୍ଣ୍ଣନା କରିଛନ୍ତି ଯେ କେହି ପାଠକ ଥରେ ପଢିଲେ ଆତ୍ମହରା ହୋଇ ପଡିବ. ତାଙ୍କର ସମସ୍ତ କାବ୍ୟ ରସଯୁକ୍ତ ଓ ଛନ୍ଦମୟ, ସୁର ଓ ତାଳରେ ପରିବେଷିତ.

ସେତିକିରେ ମନ ପୁରିଲା ନାହିଁ

ତିନୋଟି ଉନ୍ନତ ଧରଣର କାବ୍ୟ ଲେଖିସାରି ଉପେନ୍ଦ୍ର ଚୁପ୍ ହୋଇ ବସିଲେ ନାହିଁ ବରଂ ତାପରେ “ପ୍ରେମ ସୁଧାନିଧି”, “ସୁବର୍ଣ୍ଣରେଖା”, “ଅବନା ରସତରଙ୍ଗ” ଆଦି କାବ୍ୟ ମଧ୍ୟ ଲେଖିଲେ. “ଅବନା ରସତରଙ୍ଗ” କାବ୍ୟରେ ସୂର୍ପଣଖାର ନାକ କାନ କାଟିବାଠାରୁ ରାମଚନ୍ଦ୍ରଙ୍କର ଅଯୋଧ୍ୟା ଅଭିଷେକ ହେବା ପର୍ଯ଼୍ୟନ୍ତ ରାମାୟଣର ବିଷୟବସ୍ତୁକୁ ଲେଖିଛନ୍ତି. ତେବେ ଏଥିରେ ଏକ ଭିନ୍ନପ୍ରକାରର କାବ୍ୟିକ କୌଶଳର ଉପଯୋଗ କରିଛନ୍ତି. କାବ୍ୟଟିରେ ଥିବା ସମସ୍ତ ଛନ୍ଦ ଅବନାରେ ଲେଖାଯ଼ଆଇଛି ଯାହା ଓଡିଆ ସାହିତ୍ୟରେ ଏକ ମାଇଲ ଖୁଣ୍ଟ ହୋଇ ରହିଛି.
ସେହିପରି ପ୍ରତି ପଦର ପ୍ରଥମ ଅକ୍ଷରରେ “ସ” ରଖି ଉପେନ୍ଦ୍ର ଏକ ନୁଅା ଧରଣର କାବ୍ୟ “ସୁଭଦ୍ରା ପରିଣୟ” ଲେଖିଥିଲେ ଯେଉଁଥିରେ ସୁଭଦ୍ରା ଓ ଅର୍ଜୁନଙ୍କ ବିଭାଘର ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି. ଶ୍ରୀକୃଷ୍ଣଙ୍କର ସଖା ଭାବେ ଅର୍ଜୁନ ସଦାସର୍ବଦା ତାଙ୍କ ପାଖେ ପାଖେ ରହୁଥିଲେ. ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ, ତେଣୁ ନିଜର ଭଉଣୀ ସୁଭଦ୍ରାଙ୍କୁ ଅର୍ଜୁନଙ୍କ ସହ ବିବାହ ଦେଲେ. ଏହି କଥାବସ୍ତୁର ଲାଳିତ୍ୟପୁର୍ଣ୍ଣ ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ଥିଲା.
ଉପେନ୍ଦ୍ରଙ୍କ ଲିଖିତ କୋଡିଏ ଖଣ୍ଡ ବହି ଏବେ ସୁଦ୍ଧା ପ୍ରକାଶ ପାଇଛି ଏବଂ ବାଇଶିଖଣ୍ଡ ବହି ଏଯାଏଁ ଅପ୍ରକାଶିତ ଅବସ୍ଥାରେ ରହିଯାଇଛି.

ବୀରବର ଉପାଧି ଲାଭ

କାବ୍ୟକବିତା ଲେଖି ଉପେନ୍ଦ୍ର ସାରା ଓଡିଶରେ ବେଶ୍ ପ୍ରସିଦ୍ଧି ଲାଭ କରିସାରିଥିଲେ. ପୁରୀର ତତ୍କାଳୀନ ଗଜପତି ରାଜା ଦିବ୍ୟସିଂହ ଦେବ କବିଙ୍କ ବିଷୟରେ ଶୁଣିବାକୁ ପାଇଲେ ଓ ତାଙ୍କୁ ସମ୍ମାନୀତ କରିବା ପାଇଁ ସେ ଦୂତ ହାତରେ ନିମନ୍ତ୍ରଣ ପଠାଇ ଜଣାଇ ଉପେନ୍ଦ୍ରଙ୍କୁ ପୁରୀକୁ ଡକାଇ ଆଣିଲେ. ଉପେନ୍ଦ୍ର ମଧ୍ୟ ରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ପୁରୀ ଆସିଲେ. ପୁରୀରେ ରହି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରାଜଦରବାରରେ କାବ୍ୟ ଆଲୋଚନା କଲେ. ତାଙ୍କର କାବ୍ୟ ଆଲୋଚନା ଏତେ ପାଣ୍ଡିତ୍ୟପୁର୍ଣ୍ଣ ହେଉଥିଲା ଯେ ଖାଲି ରାଜା କାହିଁକି ବଡ ବଡ ପଣ୍ଡିତମାନେ ମଧ୍ୟ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଥିଲେ. ଶେଷରେ ଦିନେ ରାଜା ଦରବାର ଭିତରେ ଉପେନ୍ଦ୍ରଙ୍କ ମୁଣ୍ଡରେ ପାଟଶାଢୀ ବାନ୍ଧିଦେଇ କହିଲେ “ଧନ୍ୟ ଉପେନ୍ଦ୍ର. ତୁମେ ଖାଲି ରାଜପୁତ୍ର ନୁହଁ, ତୁମେ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ. ତୁମକୁ ଆଜି ମୁଁ “ବୀରବର” ଉପାଧିରେ ଭୁଷିତ କରୁଛି”. ଉପେନ୍ଦ୍ର ମଧ୍ୟ ଦିବ୍ୟସିଂହ ଦେବଙ୍କର ସେହି ଉପାଧିକୁ ଆଗ୍ରହର ସହିତ ଗ୍ରହଣ କଲେ. ତା ସହିତ ରାଜା ତାଙ୍କୁ ବହୁ ଧନରତ୍ନ ଦେଇ ସମ୍ମାନିତ କରିଥିଲେ. କବି ଧନରତ୍ନ ଲିପ୍ସୁ ନଥିଲେ, କେବଳ ପ୍ରଶଂସା ଆଉ ସମ୍ମାନକୁ ଆଧାର କରି ସେ ବନ୍ଚିଥିଲେ.

ନାଁଟିଏ ଦେଇପାରିଲେ ନାହିଁ

ପୁରୀରେ ରହିଥିବାବେଳେ ଉପେନ୍ଦ୍ରଙ୍କର ପରିଚୟ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସହିତ ହୋଇଥିଲା. ସେତେବେଳକୁ ଦୀନକୃଷ୍ଣ ଦାସ “ରସକଲ୍ଲୋଳ” କାବ୍ୟଟିକୁ ସମ୍ପୁର୍ଣ୍ଣ ରୁପେ ଲେଖିସାରିଥାନ୍ତି. ଏତେବଡ କବି ଯେତେବେଳେ ପୁରୀକୁ ଆସିଛନ୍ତି, ତାଙ୍କୁ ଟିକେ ନିଜର କାବ୍ୟଟିକୁ ଦେଖାଇ ମତାମତ ହେବାକୁ ଦୀନକୃଷ୍ଣଙ୍କର ଭାରି ମନ ହେଲା. ତେଣୁ ସେ ଦିନେ ତାଙ୍କର ସେହି “ରସକଲ୍ଲୋଳ” କାବ୍ୟଟିକୁ ନେଇ ଉପେନ୍ଦ୍ର ଭଞଙ୍କୁ ଦେଖାଇଲେ. ଉପେନ୍ଦ୍ର ପୋଥିକୁ ଭଲ କରିପଢିଲେ, ତାପରେ ହସି ହସି କହିଲେ – “ବୁଝିଲେ ଦାସେ ଆପଣେ, ଦିବ୍ୟସୁନ୍ଦର କାବ୍ୟଟିଏ ଲେଖିଲେ ସିନା ହେଲେ ଭଲ ନାଁଟିଏ ଦେଇପାରିଲେ ନାହିଁ. ପ୍ରତି ଅକ୍ଷର ଯେତେବେଳେ “କ” ଅକ୍ଷରରେ ଆରମ୍ଭ କରିଛନ୍ତି, ତା ନା “କଳକଲ୍ଲୋଳ” ବା “କୃଷ୍ଣକଲ୍ଲୋଳ” ରଖିଥିଲେ ଭଲ ହୋଇଥାନ୍ତା. ଆପଣ ଛୁଆଟିକୁ ଜନ୍ମ ଦେଇ ତାର ନାଁଟିକୁ ଭଲକରି ବାଛି ପାରିଲେ ନାହିଁ”.

ପୁରୀରୁ ଫେରିଲା ପରେ ଉପେନ୍ଦ୍ର ‘କ’ ଅକ୍ଷରକୁ ପ୍ରଥମରେ ରଖି “କଳାକୌତୁକ” ନାମରେ କବିତାଟିଏ ଲେଖି ବେଶ୍ ଚହଳ ପକାଇ ଦେଇଥିଲେ. ଏହି କାବ୍ୟଟିର ମୂଳରେ “କ” ଅକ୍ଷରକୁ ରଖି କୃଷ୍ଣଙ୍କର ସମସ୍ତ ଲୀଳାଖେଳା ବର୍ଣ୍ଣିତ.

ରାଧାକୃଷ୍ଣଙ୍କ ପରେ ସୀତାରାମ

ଉପେନ୍ଦ୍ର ଭଞଙ୍କ ପୂର୍ବବର୍ତ୍ତୀ କବିମାନେ ଯେଉଁ କାବ୍ୟକବିତା ଲେଖିଥିଲେ, ସେଥିରେ କେବଳ ରାଧାକୃଷ୍ଣଙ୍କୁ ନେଇ ବର୍ଣ୍ଣନାମାନ ହେଇଥିଲା. କାରଣ ତାହା ସେସମୟର ଯୁଗକୁ ନେଇ ଲେଖାଯାଉଥିଲା. ତାଛଡା ସେତେବେଳେର ସମାଜରେ ପାଠକମାନେ କେବଳ ରାଧାକୃଷ୍ଣ ବିଷୟକ କାବ୍ୟକବିତା ପଢି ବେଶ୍ ଆନନ୍ଦିତ ହେଉଥିଲେ. ହେଲେ ଉପେନ୍ଦ୍ର ପ୍ରଥମ କରି ଓଡିଆ ସାହିତ୍ୟରେ ସୀତାରାମଙ୍କୁ ନେଇ କାବ୍ୟ ଲେଖିଲେ. ନୂଆ ପ୍ରକାରର କାବ୍ୟ ରସାମୃତ ପରିବେଷଣ ହେବା ଫଳରେ ସେତେବେଳର ସମାଜରେ ତାହା ବେଶ୍ ଅଲୋଡନ ସୃଷ୍ଟି କରିବା ସହିତ ପାଠକମାନଙ୍କ ଦ୍ଵାରା ଆଦରଲାଭ ମଧ୍ୟ କଲା. ନିଜର ଆରାଧ୍ୟ ଠାକୁର ରାମସୀତାଙ୍କ ଲୀଳା ବର୍ଣ୍ଣନା କରିବାରେ ତାଙ୍କର ଲେଖନୀ ଚଳଚନ୍ଚଳ ହୋଇ ଉଠିଲା. ସେ ନିପୁଣ ଭାବରେ ରାମସୀତା ଚରିତ ବିଭିନ୍ନ ଛନ୍ଦରେ ମାଳଟିଏ ଗୁନ୍ଥିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ. ସାଧାରଣ ପାଠକଟିଏ ଏହି କାବ୍ୟଟି ପଢିବା ଦ୍ଵାରା ତାର ଆଧ୍ୟାତ୍ମ୍ୟ ଜ୍ଞାନ ବୃଦ୍ଧି ପାଇଲା.

ପ୍ରକୃତରେ ସେ କବି ସମ୍ରାଟ

ଉପେନ୍ଦ୍ର ଭଞ ବହୁ ଶାସ୍ତ୍ର ପଢିଥିଲେ ଯାହାଫଳରେ ସେଗୁଡିକ ନିଜ କାବ୍ୟକବିତାରେ ପ୍ରୟୋଗ କରିବାରେ ସଫଳ ହୋଇପାରିଥିଲେ. ତାଙ୍କ ପୁର୍ବରୁ ଯେଉଁ କାବ୍ୟକବିତା ଲେଖା ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ସଂସ୍କୃତରେ ଲେଖା ହୋଇଥିଲା. ତେଣୁ ଓଡିଆ ଭାଷୀ ଲୋକନମାନଙ୍କ ପକ୍ଷରେ ବୁଝିବା ଟିକେ କଷ୍ଟ ହୋଇପଡୁଥିଲା. ତାଛଡା ସଂସ୍କୃତ ଅଳଙ୍କାରକୁ ନେଇ ଓଡିଆ କାବ୍ୟରେ ପ୍ରୟୋଗ କରିବାରେ ଉପେନ୍ଦ୍ର ଥିଲେ ପ୍ରଥମ ଓ ସିଦ୍ଧହସ୍ତ. ତାଙ୍କ ରଚନାବଳୀରେ ଯେଉଁ ବହୁଳ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ମଧ୍ୟ ପଢିଲେ ଆଶ୍ଚର୍ଯ଼୍ୟ ଲାଗେ. ବିଭିନ୍ନ ଛନ୍ଦ ଓ ବୃତ୍ତର ବ୍ୟବହାର କରିବା ଦ୍ଵାରା ତାଙ୍କ କାବ୍ୟଗୁଡିକ ସଙ୍ଗୀତ ଜଗତରେ ଏକ ଉଜ୍ଵଳ ମଣିତୁଲ୍ୟ ଶୋଭାପାଉଛି. କବି ସମାଜରେ ଉପେନ୍ଦ୍ର ଭଞଙ୍କ ସ୍ଥାନ ସମସ୍ତଙ୍କଠାରୁ ବହୁ ଉଚ୍ଚରେ ରହିଲା. ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି କାବ୍ୟମାନ ଲେଖିଥିବାରୁ ଆଜି ସେ ବାସ୍ତବରେ କବି ସମ୍ରାଟ ଭାବରେ ସବୁଆଡେ ପୂଜା ପାଉଛନ୍ତି.

ଦେଶପ୍ରେମୀ ଉପେନ୍ଦ୍ର

ଯେଉଁ ବ୍ୟକ୍ତି ମନପ୍ରାଣ ସବୁବେଳେ ନିଜ ଜନ୍ମଭୁମିର ଗୁଣଗାନ କରିବାକୁ ବ୍ୟାକୁଳ ହୋଇଉଠେ, ସେହିଁ ପ୍ରକୃତରେ ଦେଶଭକ୍ତ. ନିଜର ପ୍ରତ୍ୟେକ କାବ୍ୟକବିତାରେ ଦେଶର ତୀର୍ଥସ୍ଥାନ, ନଦନଦୀ, ପର୍ବତ, ସାମାଜିକ ଚଳଣୀ, ପର୍ବପର୍ବାଣୀ, ବାଣିଜ୍ୟ ଆଦିକୁ ବର୍ଣ୍ଣନା କରିବାରେ ଉପେନ୍ଦ୍ର କେବେହେଲେ ଅବହେଳା କରିନାହାନ୍ତି. ଯେଉଁସବୁ ପୂର୍ବକବିଙ୍କର ଲେଖାକୁ ପଢି ସେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି, ସେମାନଙ୍କୁ ନିଜ କାବ୍ୟର ଆରମ୍ଭରେ ମନେ ପକାଇବାକୁ କେବେହେଲେ ପଛାଇ ନାହାନ୍ତି. ବରଂ ସେମାନଙ୍କୁ ବିନୟୀ ଭାବରେ ପ୍ରଣାମ ଓ ସ୍ମରଣ କରିବା ସହିତ ନିଜର କାବ୍ୟ ଆରମ୍ଭ କରିଛନ୍ତି. ଦେଶର ଭୌଗୋଳିକ ଚିତ୍ରକୁ ସେ ଏତେ ସୁନ୍ଦର ଭାବରେ ରୁପାୟିତ କରିଛନ୍ତି ଯେ ତାହାକୁ ପଢିଲେ ସେଗୁଡିକର ଜୀବନ୍ତ ରୂପଛବି ଆମ୍ଭମାନଙ୍କ ଆଖି ଆଗରେ ଭାସି ଉଠେ. ଓଡିଶାର ବୀରପୁତ୍ରମାନଙ୍କର ବୀରତ୍ଵ ତଥା ବଣିକମାନଙ୍କର ବାଣିଜ୍ୟ ପରମ୍ପରାକୁ ସେ ନିଖୁଣ ଭାବରେ ନିଜର କାବ୍ୟମାନଙ୍କରେ ଗଢି ତୋଳିଛନ୍ତି. ତାହାଛଡା ବିଭିନ୍ନ ଓଷାବ୍ରତ, ପର୍ବପର୍ବାଣୀ, ପାରିବାରିକ ଉତ୍ସବ ଆଦିକୁ ପ୍ରକାଶ କରି ସେ ଜଣେ ଦେଶପ୍ରେମୀ କବିର ଆସନକୁ ଗ୍ରହଣ କରିପାରିଛନ୍ତି.

ଏକା ଜୟଦେବଙ୍କୁ କୋଟି ନମସ୍କାର

ତାଙ୍କ ପୁର୍ବରୁ ଥିବା ବହୁତ ପ୍ରସିଦ୍ଧ କବିଙ୍କ ମଧ୍ୟରୁ ଜୟଦେବଙ୍କର “ଗୀତ ଗୋବିନ୍ଦ” ଉପେନ୍ଦ୍ର ଭଞଙ୍କ ମନରେ ଗଭୀର ରେଖାପାତ କରିଥିଲା. କାବ୍ୟଟିର ସରଳ ମନଛୁଆଁ ପଦାବଳୀ, ଶବ୍ଦ ସଂଯୋଜନା ଏବଂ ସର୍ବୋପରୀ ସଙ୍ଗୀତମୟତା ଉପେନ୍ଦ୍ରଙ୍କୁ ବେଶ୍ ଆକୃଷ୍ଟ କରିଥିଲା. ତେଣୁ ନିଜର କାବ୍ୟକବିତା ଲେଖିଲାବେଳେ ଉପେନ୍ଦ୍ର ଜୟଦେବଙ୍କୁ ବହୁତ ସମ୍ମାନ ଦେଉଥିଲେ ଓ ତାଙ୍କର ଗୁଣକୀର୍ତ୍ତନ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ. ସେ ସ୍ଵତଃ କହି ଉଠୁଥିଲେ – “ଏକା ଜୟଦେବଙ୍କୁ ମୋର କୋଟି ନମସ୍କାର”.

ସଙ୍ଗୀତ ଜଗତର ମଉଡମଣି

ନିଜର ଉଦ୍ୟମ ବଳରେ ଉପେନ୍ଦ୍ର ଭଞ ଅନେକ କାବ୍ୟକବିତା ଲେଖି ଖାଲି ଯେ ଓଡିଆ ସାହିତ୍ୟର ଗୌରବ ବଢାଇଥିଲେ, ତାହା ନୁହେଁ ତାଙ୍କ କବିତାରେ ସଙ୍ଗୀତର ଅବାରିତ ଧାରା ପ୍ରବାହିତ ହେଉଥିଲା ଯାହାକି ଓଡିଶୀ ସଙ୍ଗୀତ ଭାବରେ ଆଜି ପରିଗଣିତ ହୋଇଥାଏ. ତାଙ୍କ କାବ୍ୟଗଡିକ ପଢିଲାବେଳେ ପାଠକଙ୍କୁ ଯେତିକି ଆନନ୍ଦ ମିଳେ, ଗାଇଲାବେଳେ ତାଠାରୁ ଅଧିକ ଆନନ୍ଦ ମିଳିଥାଏ. ତେଣୁ ତାଙ୍କର ଏହି କୃତୀ ପାଇଁ ସେ ଆଜି ସଙ୍ଗୀତ ଜଗତର ମଉଡମଣୀ ଭାବରେ ପୂଜା ପାଉଛନ୍ତି. ଖାଲି ସେତିକି ନୁହେଁ, ଓଡିଶା ସରକାରଙ୍କର ସଙ୍ଗୀତ ନାଟକ ଏକାଡେମୀ ତରଫ଼ରୁ ଓଡିଶାର ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞଙ୍କୁ ପ୍ରତିବର୍ଷ “ଉପେନ୍ଦ୍ର ଭଞ” ଉପାଧିରେ ସମ୍ମାନ୍ନିତ କରାଯାଇଥାଏ. ଓଡିଶାର ବହୁ ସୁନାମଧନ୍ୟ ସଙ୍ଗୀତଜ୍ଞ ଏହି ସମ୍ମାନରେ ଭୁଷିତ ହେବା ପାଇଁ ପ୍ରତିବର୍ଷ ଆଗ୍ରହୀ ହୋଇଉଠନ୍ତି.

ଈଶ୍ଵରଙ୍କଠାରେ ଗଭୀର ବିଶ୍ଵାସ

ଉପେନ୍ଦ୍ର ଭଞ ତାରକମନ୍ତ୍ର ସାଧନା କରି ଏତେ ବଡ କବି ପ୍ରତିଭାର ଅଧିକାରୀ ହୋଇପାରିଥିଲେ. ରାମଙ୍କଠାରେ ତାଙ୍କର ଗଭୀର ବିଶ୍ଵାସ ସବୁବେଳେ ରହିଥିଲା. ତାଛଡା ଯେତେଥର ସେ ପୁରୀ ଯାଉଥିଲେ, ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କର ବନ୍ଦନା ଗାଇବାକୁ ତାଙ୍କର କବିପ୍ରାଣ ବିକଳ ହୋଇଉଠୁଥିଲା. ତେଣୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ବିଭିନ୍ନ ସମୟର ଲୀଳାକୁ ନିଜର କାବ୍ୟକବିତାରେ ବର୍ଣ୍ଣନା କରି ନିଜର ଈଶ୍ଵର ବିଶ୍ଵାସର ପରିଚୟ ଦେଇପାରିଛନ୍ତି. ନିଜେ ବୈଷ୍ଣବ ନହେଲେ ମଧ୍ୟ ବୈଷ୍ଣବ ଜୀବନର ଉଦାର ଓ ନିରାଡ଼ମ୍ବର ଭାବ ଏବଂ ଅଖଣ୍ଡ ଈଶ୍ଵର ବିଶ୍ଵାସକୁ ଗ୍ରହଣ କରିନେଇଥିଲେ. ନିଜର ରଚନାବଳୀରେ ଭକ୍ତି ଓ ବିଶ୍ଵାସକୁ ପ୍ରକାଶ କରି ଜଣେ ପ୍ରଚଣ୍ଡ ଈଶ୍ଵର ବିଶ୍ଵାସୀର ପରିଚୟ ଦେଇଥିଲେ. ଈଶ୍ଵର ବିଶ୍ଵାସକୁ ମାଧ୍ୟମ କରି ସେ ଓଡିଶାବାସୀଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲେ.

ଶେଷଲେଖା ଚିତ୍ରକାବ୍ୟ ବନ୍ଧୋଦୟ

ବୟସ ବେଶୀ ହେଲାବେଳକୁ ଶେଷ ଲେଖାରେ ଉପେନ୍ଦ୍ର ମନୋନିବେଶ କଲେ ଏବଂ ଯେଉଁ ଅପୁର୍ବ କାବ୍ୟଟି ଲେଖିଲେ, ତାର ନାଁ ଦେଲେ “ଚିତ୍ରକାବ୍ୟ ବନ୍ଧୋଦୟ”. ଏହି କାବ୍ୟଟି ଏକ ଚିତ୍ରବହି କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ କବିତା ମାଧ୍ୟମରେ ଚିତ୍ର ଓ ଚିତ୍ର ମାଧ୍ୟମରେ କବିତା ଲେଖାଯ଼ଆଇପାରେ, ତାହା ସେ ନିଜେ କରି ଦେଖାଇଲେ. ବିଭିନ୍ନ ପ୍ରକାର ବନ୍ଧର ବର୍ଣ୍ଣନାରେ ଏହି କାବ୍ୟଟି ପୁର୍ଣ୍ଣ ହୋଇଛି. ପ୍ରଶ୍ନୋତ୍ତର ମାଧ୍ୟମରେ ଲେଖାଯାଇଥିବା ଏହି କାବ୍ୟଟିରେ ଉପେନ୍ଦ୍ର ନିଜଲିଖିତ ଅନେକ କାବ୍ୟ ଗ୍ରନ୍ଥର ନାମ ତାଲିକାକୁ ମଧ୍ୟ କବିତା ଆକାରରେ ପ୍ରକାଶ କରିଛନ୍ତି.

ଯୁଗଟିଏ ତିଆରି ହେଲା

ଉପେନ୍ଦ୍ର ଭଞଙ୍କ ଶୈଳୀକୁ ଅନୁସରଣ କରି ପରବର୍ତ୍ତୀ ସମୟରେ ଅନେକ କବି କାବ୍ୟକବିତା ଲେଖିଲେ. ସେମାନଙ୍କୁ ଉପେନ୍ଦ୍ରଙ୍କର ଅନୁରାଗୀ କୁହାଗଲା. ଓଡିଆ ସାହିତ୍ୟର ସମାଲୋଚକମାନେ ଏହି କାବ୍ୟଯୁଗକୁ ‘ରୀତିଯୁଗ’ ନାମରେ ନାମିତ କଲେ ଏବଂ ତାଙ୍କ କାବ୍ୟାଦର୍ଶରେ ଅନୁପ୍ରାଣିତ କବିମାନଙ୍କୁ ‘ରୀତିଯୁଗର କବି’ ବୋଲି କୁହାଗଲା. ଏହି ସମୟରେ କାବ୍ୟର ଯେଉଁ ଅଳଙ୍କାର ଓ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ଅନ୍ୟ ଯୁଗର କାବ୍ୟକବିତାଠାରୁ ବହୁ ଉଚ୍ଚରେ.

ଦୀପ ଲିଭିଗଲା

୧୭୨୦ ମସିହାରେ ପଚାଶ ବର୍ଷ ବୟସରେ କବି ସମ୍ରାଟ ଉପେନ୍ଦ୍ର ଭଞ ଆରପାରିକୁ ଚାଲିଗଲେ. ବର୍ଷ ବର୍ଷ ଧରି ଯେଉଁ କବିଙ୍କର ଅମର ଲେଖନୀରୁ କାବ୍ୟକବିତାର ମନ୍ଦାକିନୀ ଧାରା ଅବାରିତ ଗତିରେ ଝରିଆସୁଥିଲା, ତାହା ହଠାତ୍ ବନ୍ଦ ହୋଇଗଲା. ଅଳ୍ପ ସମୟ ପାଇଁ ବନ୍ଚିଥିଲେ ମଧ୍ୟ କବି ଯେଉଁ ମୂଲ୍ୟବାନ୍ ଗ୍ରନ୍ଥମାନ ଲେଖି ଯାଇଛନ୍ତି, ତାହା ଉତ୍କଳର ବାଣୀଭଣ୍ଡାରକୁ ସର୍ବଦା ଅଳଙ୍କୃତ କରି ରଖିଥିବ. ଆଜି ସିନା ଉପେନ୍ଦ୍ର ଭଞ ଆମ ପାଖରେ ନାହାନ୍ତି, ହେଲେ ଯେଉଁ ଅସଂଖ୍ୟ କାବ୍ୟ କବିତା ଲେଖି ଯାଇଛନ୍ତି ତାହା ଯୁଗ ଯୁଗକୁ ତାଙ୍କୁ ଅମର କରି ରଖିଥିବ. ଦୀପ ଜଳେ ଆଉ ଲିଭେ ମାତ୍ର କବି ସମ୍ରାଟ ଯେଉଁ ଦୀପଟିଏ ଜାଳି ଦେଇଗଲେ ତାହା ଅଦ୍ୟାବଧି ଅଲିଭା ରହିଛି କହିଲେ ଚଳେ.
ଉତ୍କଳମଣି ଗୋପବନ୍ଧୁ ଦାସ ଯଥାର୍ଥରେ କହିଛନ୍ତି:
“ଗାଏ ତବ ଗୀତ                           ସଭାରେ ପଣ୍ଡିତ                      ପଥେ ପାନ୍ଥ ହ୍ରୁଷ୍ଟମନା,
ବିଲେ ଗାଏ ଚଷା                           ଅନ୍ତପୁରେ ଯୋଷା                   ନୃତ୍ୟ ରଙ୍ଗେ ବାରଙ୍ଗନା”
କବି ସମ୍ରାଟଙ୍କର ସ୍ମୃତିରେ ଓଡିଶାର ବିଭିନ୍ନ ସ୍ଥାନରେ ତାଙ୍କ ନାଁରେ ବହୁତ ଅନୁଷ୍ଠାନ ତିଆରି ହୋଇଛି. ରାଜଧାନୀ ଭୁବନେଶ୍ଵରରେ ‘ଭଞ କଳାମଣ୍ଡପ’ ନାମରେ ଏକ ସଭାଗୃହ ନିର୍ମାଣ କରାଯ଼ଆଇଛି. ସେହିପରି ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ମହାବିଦ୍ୟାଳୟ ଖୋଲିଛି. ତାଛଡା କଟକରେ ତାଙ୍କ ନାଁରେ “ଭଞ ଭାରତୀ” ନାମରେ ଅନୁଷ୍ଠାନଟିଏ ଗଢାହୋଇ ତାଙ୍କ ଜୟନ୍ତୀ ପାଳନ ହେଉଛି.
Advertisements

2 thoughts on “କବିସମ୍ରାଟ ଉପେନ୍ଦ୍ର ଭଞ – ଓଡିଆ ସାହିତ୍ୟର ଉଜ୍ଵଳ ତାରକା

  1. ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି ଏବଂ ସଂରକ୍ଷଣ ହେତୁ ପ୍ରତିଷ୍ଠିତ କବି ସାହିତ୍ୟିକ ମାନଙ୍କର ଜୀବନୀ ଏବଂ କୃତି ଉପରେ ଆଲୋକପାତ କରିବାର ଏହି ପ୍ରୟାସ ଅତି ଉତ୍ତମ ।

    Like

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s